
୧୯୯୯ରେ କାର୍ଗିଲ୍ ଯୁଦ୍ଧ ସମୟରେ ଭାରତୀୟ ବାୟୁସେନାର ମିଗ୍ ୨୭ ଆକାଶ ମାର୍ଗରୁ ପାକିସ୍ତାନ ସୈନିକଙ୍କ ଉପରେ ଗୁଳି ବର୍ଷଣ କରିଥିଲା। ଭାରତୀୟ ବାୟୁସେନାର ଏହି ବିମାନ ପାକିସ୍ତାନୀ ସୈନିକଙ୍କ ଉପରେ ଏଭଳି ଘାତକ ଆକ୍ରମଣ କରିଥିଲା ଯେ, ସେମାନଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ଆକାଶ ମାର୍ଗରୁ ଘଣ୍ଟାପ୍ରତି ୧୭୦୦ କିମି ବେଗରେ ଭୂମି ଉପରକୁ ନିଶାଣ ଲଗାଇବାରେ ସକ୍ଷମ ଥିବା ଏହି ଯୁଦ୍ଧ ବିମାନ କାର୍ଗିଲ ଯୁଦ୍ଧରେ ପରାକ୍ରମ ଦେଖାଇଥିଲା।ସେଥିପାଇଁ ଏହି ବିମାନର ନାମ ବାହାଦୁର ଦିଆଯାଇଥିଲା। ଯାହାର ଭୟ ଆଜି ଯାଏଁ ପାକିସ୍ତାନର ମନ ମସ୍ତିଷ୍କରେ ରହିଛି। ଏପରିକି ପାକିସ୍ତାନ ମିଗ୍ ୨୭କୁ ଚୁଡୈଲ ନାମ ଦେଇଛି। ଏହି ବିମାନ ଯେଉଁ ସମୟରେ ଉଡାଣ ଭରେ ସେହି ସମୟରେ ଏହାକୁ କୌଣସି ରାଡାର ଚିହ୍ନଟ କରିବାରେ ଅସକ୍ଷମ ଥିଲା। ଏହାର ଗର୍ଜନରେ ଶତ୍ରୁଙ୍କ ମନରେ ଭୟ ସୃଷ୍ଟି ହେଉଥିଲା । ୧୯୮୫ରେ ଭାରତୀୟ ବାୟୁସେନାରେ ମିଗ୍ ୨୭ ସାମିଲ ହୋଇଥିଲା। ଆଜି ଏହି ଯୁଦ୍ଧ ବିମାନଙ୍କୁ ଔପଚାରିକ ଭାବରେ ବିଦାୟ ଦିଆଯାଇଛି। ଯୋଧପୁର ଏୟାରବେସରେ ହୋଇଥିବା ବିଦାୟ ସମାରୋହ ପରେ ଏହି ସ୍କ୍ଵାର୍ଡନର ୭ଟି ବିମାନ ଚିରଦିନ ପାଇଁ ଭାରତୀୟ ବାୟୁସେନା ଇତିହାସରେ ସ୍ଵର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହେବ ।
Leave a Reply