ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳାଙ୍କାରୀ-ନିର୍ମାଣ ହେବାକୁ ଥିବା ୧୨ ଲକ୍ଷ ୭୫ ହଜାର ପକ୍କାଘରରେ ଅଛନ୍ତି ୮୫% ଅଯୋଗ୍ୟ ହିତାଧିକାରି :ବିଜେପି

ଡେଙ୍ଗୁରା

Dengura

 

ଭୁବନେଶ୍ୱର,28 ଅକ୍ଟୋବର- ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଦେଖାଦେଇଛି । ଆଖିରେ ଆଙ୍ଗୁଠି ଦେଖେଇ ଚାଲିଛି ଦୁର୍ନୀତି । କେଉଁଠି ପଚାଂୟତରେ ରହୁଥିବା ମୋଟ ଘର ସଂଖ୍ୟାଠାରୁ ପକ୍କାଘର ସଂଖ୍ୟା ବଳିଗଲାଣି ତ କେଉଁଠି ଯେଉଁ ପରିବାରକୁ ଗତ ଆର୍ଥୀକ ବର୍ଷରେ କୋଠାଘର ଅଛି ବୋଲି ପକ୍କାଘର ଦେଇନଥିଲେ ତାକୁ ଚଳିତ ଆର୍ଥୀକ ବର୍ଷରେ ପକ୍କାଘର ମିଳିଛି । ରାଜ୍ୟର ସମସ୍ତ ଜିଲ୍ଲାର ଚାଲିଛି ଏପ୍ରକାର ଦୁର୍ନୀତି । ଭାତହାଣ୍ଡିରୁ ଗୋଟିଏ ଚିପିଲା ଭଳି ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନିଶ୍ଚିନ୍ତକୋଇଲି ବ୍ଲକର ତିନୋଟି ପଂଚାୟତରେ ହୋଇଥିବା ଦୁର୍ନୀତି ଦର୍ଶାଉଛି ରାଜ୍ୟରେ କେମିତି ଚାଲିଛି ପକ୍କାଘର ଦୁର୍ନୀତି । ନିଶ୍ଚିନ୍ତକୋଇଲି ବ୍ଲକର ଦାଉଦପୁର ପଚାଂୟତର ସମୁଦାୟ ପରିବାର ସଂଖ୍ୟା ହେଉଛି ୧୨୦୮ । ସେଥିରୁ ୨୦୧୧ ସାମାଜିକ ଅର୍ଥନୈତିକ ଗଣନା ରିପୋର୍ଟ ଅନୁସାରେ ୭୬୮ ପରିବାର ପକ୍କାଘର ପାଇବା ପାଇଁ ଯୋଗ୍ୟ । ହେଲେ ବଡ ଆଶ୍ଚର୍ଯ୍ୟ ଭାବେ ସେହି ପଂଚାୟତରେ ୧୪୨୧ ପରିବାରକୁ ପକ୍କାଘର ମିଳିଛି ଯାହା ମୋଟ ଘର ସଂଖ୍ୟା ଠାରୁ ଅଧିକ । କିଭଳି ଭାବେ ପରିବାର ସଂଖ୍ୟା ଠାରୁ ହିତାଧୀକାରି ପରିବାର ସଂଖ୍ୟା ବଢିଗଲା ତାହା ବଡ ଆଶ୍ଚର୍ଯ୍ୟର କଥା । ସେହିପରି ମୋଉଦା ପଚାଂୟତରେ ୨୦୧୮-୧୯ ଆର୍ଥୀକ ବର୍ଷରେ ଯେଉଁ ଆବେଦନ ଗୁଡିକୁ ସେମାନଙ୍କର କୋଠାଘର ଅଛି ବୋଲି ନାକଚ କରାଯାଇଥିଲା ପୁଣି ସେହି ସମାନ ଲୋକମାନଙ୍କୁ ୨୦୧୯-୨୦ ଆର୍ଥୀକ ବର୍ଷରେ ଯୋଗ୍ୟ ବୋଲି ଦର୍ଶାଇ ସେମାନଙ୍କ ନାଁରେ ପକ୍କାଘର ଦିଆଯାଇଛି । ସେହି ନିଶ୍ଚିନ୍ତକୋଇଲି ବ୍ଲକର ଜାମରା ଗ୍ରାମପଚାଂୟତରେ ୨୨୬ ହିତାଧୀକାରିଙ୍କୁ ପକ୍କାଘର ମିଳିଥିବାବେଳେ ସେଥିରୁ ୧୬୬ ଜଣ ହିତାଧିକାରି ଯୋଗ୍ୟ ନୁହନ୍ତି ବୋଲି ସେହି ପଚାଂୟତର ଲୋକମାନେ ଅଭିଯୋଗ କରିଛନ୍ତି । ଏହି ୩ଟି ପଚାଂୟତରେ ହୋଇଥିବା ଦୁର୍ନୀତିକୁ ଦେଖିଲେ ଲାଗୁଛି  

ରାଜ୍ୟରେ କିପରି ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଚାଲିଛି । ଦୁର୍ନିିତିର ମାତ୍ରା ସବୁ ପଂଚାୟତକୁ ବ୍ୟାପିଛି । ରାଜ୍ୟ ସରକାର ୫ଟି କଥା କହୁଥିବାବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେଭଳି ଦୁର୍ନୀତି ଚାଲୁଛି ଏହା ରାଜ୍ୟର ଗରିବ ଲୋକମାନଙ୍କର ଅଧିକାରକୁ ଛଡାଇ ନେଉଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନିରେ କହିଛନ୍ତି ବିଜେପିର ଶାରଦା ପ୍ରଧାନ ।

ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ଯେ, ଗତ ଫନି ବାତ୍ୟାରେ ଓଡିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ଏବଂ କେନ୍ଦ୍ର ସରକାର ପୂର୍ଣ୍ଣ ମାତ୍ରାରେ ପ୍ରତିଶ୍ରୁତି ଦେଇଥିଲେ ଯେ ରାଜ୍ୟସରକାରଙ୍କୁ  ଯାହା କ୍ଷୟକ୍ଷତି ହୋଇଛି ତାହାର ସବିଶେଷ ବିବରଣୀ ରାଜ୍ୟସରକାର କେନ୍ଦ୍ରକୁ ପ୍ରଦାନ କଲେ କେନ୍ଦ୍ରସରକାର ସମସ୍ତ ପ୍ରକାର ସହଯୋଗ କରିବେ । ସେ ବାବଦରେ ଆଡଭାନ୍ସ୍ ଅର୍ଥ ମଧ୍ୟ କେନ୍ଦ୍ର ସରକାର ପଠାଇଥିଲେ । ସେହି କ୍ରମରେ ଓଡିଶା ସରକାରଙ୍କ ତରଫରୁ ଫନି ପ୍ରଭାବିତ ୧୪ଟି ଅଂଚଳର ଭାଙ୍ଗିଯାଇଥିବା ଗୃହ ମାନଙ୍କ ପାଇଁ ଏକ ତାଲିକା ରାଜ୍ୟସରକାର ୧୯.୦୭.୨୦୧୯ରେ କେନ୍ଦ୍ରସରକାରଙ୍କୁ ପ୍ରଦାନ କରିଥିଲେ ଯେଉଁଥିରେ ୩ ଲକ୍ଷ ୮୯ ହଜାର ଘର ପାଇଁ କେନ୍ଦ୍ରସରକାରଙ୍କୁ ରାଜ୍ୟସରକାର ଚିଠି ଲେଖିଥିଲେ । ପୁଣି ପରବର୍ତୀ ସମୟରେ ଅର୍ଥାତ୍ ପ୍ରାୟ ତିନି ମାସ ପରେ ୧୪.୧୦.୨୦୧୯ରେ ରାଜ୍ୟ ସରକାର ପୁଣି ଆଉ ଗୋଟିଏ ଚିଠି ଲେଖିଲେ କେନ୍ଦ୍ର ସରକାରଙ୍କୁ ଯେଉଁ ଚିଠିରେ ରାଜ୍ୟ ସରକାର ମାଗିଲେ ୧୨ଲକ୍ଷ ୭୫ହଜାର ୪୨ ପକ୍କାଘର    ମାତ୍ର ୩ ମାସରେ କେମିତି ରାଜ୍ୟ ସରକାର ତାଙ୍କର ଦାବିକୁ  ୩ ଲକ୍ଷ ୮୯ ହଜାର ଘରରୁ  ବଢି ୧୨ଲକ୍ଷ ୭୫ହଜାର କଲେ ? ତାଲିକା କେଉଁଠୁ ଆଣିଲେ ଓ କିପରି ପ୍ରସ୍ତୁତ କଲେ । ମାହାଙ୍ଗା ଅଂଚଳର ସେହି ୩ଟି ପଚାଂୟତରେ ହୋଇଥିବା ଅନିୟମିତତାକୁ ଦେଖିଲେ ଲାଗୁଛି ସେହି ଯେଉଁ ୧୨ ଲକ୍ଷ ୭୫ ହଜାର ପକ୍କାଘର ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କର ଅର୍ଥରେ ଦେବାକୁ ଯାଉଛନ୍ତି ସେଥିରୁ ୮୫%ରୁ ଅଧିକ ହେଉଛି ବେଆଇନ, ଦଳୀୟ ଆଧାରରେ ଅଯୋଗ୍ୟ ହିତାଧୀକାରିଙ୍କୁ ଦିଆଯାଇଛି ।

ଏହା ବିରୁଦ୍ଧରେ ଗତ ୧୦ ତାରିଖରେ ବିଜେପି ପକ୍ଷରୁ ରାଜଭବନ ଆଗରେ ଏକ ପ୍ରତିବାଦ ସଭା କରାଯାଇଥିଲା । ଶାସକ ଦଳ ପକ୍ଷରୁ ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ଅନିୟମିତତାର ଉପଯୁକ୍ତ ପ୍ରମାଣ ଦେଖାଇଲେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ବିବୃତି ଦେଇଥିଲେ । କିନ୍ତୁ ର୍ଦୁଭାଗ୍ୟର କଥା ହେଉଛି କି, ଖୋଦ୍ ମନ୍ତ୍ରୀଙ୍କ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ର୍ଦୁନୀତି ହୋଇଛି । ଘର ବଂଟନରେ ବ୍ୟାପକ ଅନିୟମିତତା ଏବଂ ଭ୍ରଷ୍ଟାଚାର ଘଟଣା ଗଣମାଧ୍ୟମର ପୃଷ୍ଠା ମଣ୍ଡନ ହେଉଥିବାବେଳେ ଶାସକ ଦଳର ମନ୍ତ୍ରୀ ଏବେବି ଚୁପ ରହିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ବୋଲି ଶାରଦା ଅଭିଯୋଗ କରିଛନ୍ତି ।

ଏବେ ରାଜ୍ୟ ସରକାର ୫ଟି ନାଁରେ ଯେଉଁ କଲ ସେଂଟର ଖୋଲିଛନ୍ତି ତାହାର ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶ୍ରୀ ପ୍ରଧାନ  । ସେ କହିଛନ୍ତି ଯେ କଲ ସେଂଟରରୁ ଯେଉଁମାନେ ପକ୍କାଘର ପାଇଛନ୍ତି ବା ଯେଉଁମାନଙ୍କୁ କାର୍ଯ୍ୟାଦେଶ ମିଳିଛି ସେମାନଙ୍କୁ ଫୋନ ଯାଉଛି । ଯେଉଁମାନେ ବେଆଇନ ଭାବେ ପକ୍କାଘର ନେଇଛନ୍ତି ସେମାନଙ୍କୁ ଫୋନ ଗଲେ ସଠିକ ହିତାଧିକାରି ଚୟନ କିପରି ହୋଇପାରିବ ତାହା ଏକ ବଡ ପ୍ରଶ୍ନ ।  ଯଦି ସାଧାରଣ ଗରୀବ ଲୋକ ଯେଉଁମାନେ ପକ୍କାଘର ପାଇନାହାନ୍ତି ସେମାନଙ୍କ ପାଖକୁ ଫୋନ ଯାଆନ୍ତା ତାହେଲେ ଜଣାପଡନ୍ତା କି ଯୋଗ୍ୟ ହିତାଧିକାରି ମାନେ କିପରି ପକ୍କାଘର ପାଇବାରୁ ବଂଚିତ ହେଉଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ରାଜ୍ୟ ସରକାର ଏବେ ଯେଉଁ ୧୨ ଲକ୍ଷ ୭୫ ହଜାର ଗରିବ ଲୋକମାନଙ୍କୁ ପକ୍କାଘର ଦେବାପାଇଁ ଯାଉଛନ୍ତି ତାହାର ହିତାଧିକାରି ଚୟନ ଆଉଥରେ ହେଉ, ଯେଉଁ ଗରିବ ଲୋକମାନେ ପକ୍କାଘର ପାଇବାରୁ ବଂଚିତ ହୋଇଛନ୍ତି ସେମାନଙ୍କୁ ପକ୍କାଘର ଦିଆଯାଉ । ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକ ପାଇଁ ସରକାର ଯେଉଁ ଆଦେଶବଳରେ କମିଟି ଗଠନ କରି  ପୁନ୍ନଯାଚଂର ଯେଉଁ ବ୍ୟବସ୍ଥା କରିଛନ୍ତି ସେହିଭଳି ସାରା ଓଡିଶାରେ ତାକୁ ଲାଗୁ କରନ୍ତୁ ବୋଲି ଶ୍ରୀ ପ୍ରଧାନ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *

Comments

:)