
ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସମ୍ବଲପୁରରୁ ପୁଣି ଗିରଫ ହେଲେ ଦୁଇ ଦଲାଲ । ମାର୍ଚ୍ଚ ପହିଲାରୁ ନୂଆ ଟ୍ରାଫିକ ନିୟମ କଡ଼ାକଡ଼ି ଭାବେ ଲାଗୁ ହୋଇଥିବା ବେଳେ ଆରଟିଓ ଅଫିସରେ ପୁଣି ଦଲାଲ ରାଜ୍ ଚାଲିଛି । ବିଭିନ୍ନ ଗାଡ଼ି କାଗଜପତ୍ର କରାଇବା ପାଇଁ ଫାଇଦା ଉଠାଉଛନ୍ତି ଦଲାଲ । ୨ଜଣ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଧନୁପାଲି ପୋଲିସ । ପରିବହନ କାର୍ଯ୍ୟାଳୟଗୁଡିକୁ ଦଲାଲ ମୁକ୍ତ ରଖିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଦିନ ଆଗରୁ ନିର୍ଦ୍ଦେଶ ଜାରି କରାଯାଇଛି । ତଥାପି ଦଲାଲ ମାନେ ପରିବହନ କାର୍ଯ୍ୟାଳୟ ଭିତରକୁ ପଶି ଲୋକଙ୍କ କାମ କରାଇବାକୁ ଟଙ୍କା ନେଉଛନ୍ତି । ମାର୍ଚ୍ଚ ପହିଲାରୁ ନୂଆ ଟ୍ରାଫିକ ନିୟମ କଡ଼ାକଡ଼ି ଭାବେ ଲାଗୁ ହୋଇଥିବାରୁ ଗାଡ଼ି ଚେକିଂ ଜୋରଦାର ଚାଲିଛି । ଫଳରେ ଆରଟିଓ ଅଫିସରେ ମଧ୍ୟ ପ୍ରବଳ ଭିଡ଼ । ଗିରଫ ହୋଇଥିବା ୨ ଦଲାଲ ସ୍ଥାନୀୟ ବୁଢ଼ାରଜାର ଶିବ ମହାରଣା ଓ ରାଜାନଗରର ଶେଖ ଅସଫାଉଦିନ ବୋଲି ଜଣାପଡ଼ିଛି । ଜଣେ ବ୍ୟକ୍ତିଙ୍କ ଗାଡି ମୋଟର କାଗଜପତ୍ର କରାଇଦେବା ପାଇଁ ଉଦ୍ୟମ କରୁଥିବା ସମୟରେ ସେମାନଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।
Leave a Reply