
ଦିନକ ପରେ ନୂଆ ବର୍ଷ। ଏଥିପାଇଁ ଶ୍ରୀକ୍ଷେତ୍ର ପୁରୀ ଚଳଚଞ୍ଚଳ । ନୂଆବର୍ଷରେ ନୂଆ ରୂପରେ ସଜେଇ ହୋଇଛି ପୁରୀ। ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ ବଢିବାରେ ଲାଗିଛି । ଶ୍ରୀଜିଉଙ୍କ ଆର୍ଶୀବାଦରେ ନବବର୍ଷର ଆରମ୍ଭ କରିବାକୁ ଭକ୍ତଙ୍କର ସୁଅ ଛୁଟିଛି। ନୂଆବର୍ଷକୁ ନେଇ ପୁରୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ଚୌହଦୀ ୭୫ ମିଟର ଉଚ୍ଛେଦ କରାଯିବା ପରେ ଶ୍ରୀମନ୍ଦିର ସମ୍ମୁଖ ସଜା ଯାଉଛି। ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମେଘନାଦ ପାଚେରୀ ଚତୁଃପାର୍ଶ୍ଵରେ ଗଛ ଲଗାଯାଇଥିବା ବେଳେ ରାତିରେ ରଙ୍ଗବେରଙ୍ଗର ଆଲୋକମାଳାରେ ସଜା ଯାଇଛି ମେଘନାଦ ପାଚିରୀ। ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ଵାର ସମ୍ମୁଖରେ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିରେ ୬୫ ପ୍ଲାଟୁନ ପୋଲିସ ଫୋର୍ସ ସହ ୨୭୬ ଜଣ ଅଧିକାରୀ ମୁତୟନ କରାଯାଇଛି। ଭକ୍ତମାନେ କିଭଳି ଶୃଙ୍ଖଳିତ ଦର୍ଶନ କରିପାରିବେ ସେନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏତଦ୍ ବ୍ୟତୀତ ଅତ୍ୟାଧୁନିକ ସିସିଟିଭି ଲଗାଯାଇଛି। ତେବେ ଗତକାଲି ବିଳମ୍ବିତ ରାତିରେ ସିଂହଦ୍ଵାର ସମ୍ମୁଖରେ ଭକ୍ତଙ୍କ ପାଦ ପ୍ରକ୍ଷାଳନ ପାଇଁ ସ୍ୱୟଂଚାଳିତ ପାଣି ମେସିନ୍ ଲଗାଯାଇଛି। ଯଦ୍ଵାରା ଶ୍ରୀମନ୍ଦିର ଯାଉଥିବା ଭକ୍ତମାନଙ୍କୁ ଆଉ ପାଦ ଧୋଇବାକୁ ଦୂରକୁ ଯିବାକୁ ପଡ଼ିବନାହିଁ। ଭକ୍ତମାନେ ଧାଡ଼ିରେ ଗଲାବେଳେ, ସ୍ବୟଂଚାଳିତ ଯନ୍ତ୍ରରେ ସେମାନଙ୍କ ପାଦ ଧୋଇ ହୋଇଯିବ। ବିଳମ୍ବିତ ରାତିରେ ଏହାକୁ ସିଂହଦ୍ଵାର ସମ୍ମୁଖରେ ଲଗାଯାଇଛି।
Leave a Reply