
ଭୁବନେଶ୍ବର, 1 ଜୁନ (ନି.ପ୍ର)-ରାଜ୍ୟରେ ଦିଗହରା ହୋଇପଡିଥିବା କଂଗ୍ରେସକୁ ସଜାଡିବା ପାଇଁ ହାଇକମାଣ୍ଡଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଦଳର ସମସ୍ତ ବିଧାୟକ, ସାଂସଦ ଓ ନେତାଙ୍କ ସହ ଆଲୋଚନା କରିସାରିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ । ସମସ୍ତ ଆଲୋଚନା ପରେ ମଧ୍ୟ ପିସିସି ସଭାପତିର ଚୌକିରେ କିଏ ବସିବ ଏନେଇ ସ୍ଥିର ହୋଇପାରୁନି । ସଭାପତି କିଏ ହେବ, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ଏହାକୁ ନେଇ ଦ୍ବନ୍ଦ ରହିଛି । ଦୁଇଟି ପଦବୀରେ ଦୁଇଜଣଙ୍କୁ ବସାଇବା ପାଇଁ ଏଆଇସିସି ଚିନ୍ତା କରିଥିବା ବେଳେ ଜଣଙ୍କୁ ଦୁଇଟି ପଦବୀ ଦେବା ପାଇଁ ରାଜ୍ୟ କଂଗ୍ରେସର ଅଧିକାଂଶ ନେତା ମତ ଦେଇଛନ୍ତି ।
ବିଶଷ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ କଂଗ୍ରେସକୁ ଏକ ନୂଆ ରୂପ ଦେବା ପାଇଁ ହାଇକମାଣ୍ଡ ପ୍ରୟାସ ଆରମ୍ଭ କରିଛନ୍ତି । ଏଥିପାଇଁ ସଭାପତି ପଦବୀ ସମେତ ଆଉ କିଛି ପଦବୀ ଆଗୁଆ ଘୋଷଣା କରିବ ଦଳ । 2019 ସାଧାରଣ ନିର୍ବାଚନ ପୂର୍ବରୁ ଏକ ସକ୍ରିୟ ଟିମ ଗଠନ କରି ଦଳ ଲୋକମାନଙ୍କ ନିକଟକୁ ଯିବାକୁ ପ୍ରୟାସ ଆରମ୍ଭ କରିଛି । ତେବେ କିଏ ସଭାପତି ହେବ ଓ ଆଉ କିଏ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବ ସେ ନେଇ ଏବେ ଦୁଇ ନେତାଙ୍କ ନାମ ଚର୍ଚ୍ଚା ହେଉଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ବରିଷ୍ଠ ନେତା ଭକ୍ତଚରଣ ଦାସ ଓ ନିରଞ୍ଜନ ପଟ୍ଟନାୟକ ।
ଏହିସବୁ ମଧ୍ୟରେ ଏବେ ବିଧିବଦ୍ଧ ଘୋଷଣାକୁ ବାକି ରହିଛି କିଏ ଧରିବ କଂଗ୍ରେସର ମଙ୍ଗ । ମିଳିଥିବା ସୂଚନା ମୁତାବକ ଓଡିଶା ସମେତ ଅନ୍ୟାନ୍ୟ କିଛି ରାଜ୍ୟର କଂଗ୍ରେସର ନବକଳେବର ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଓଡିଶା କଂଗ୍ରେସର ନବକଳେବର ହେବାର ଚର୍ଚ୍ଚା ହେଉଛି । ତେବେ 2019 ସାଧାରଣ ନିର୍ବାଚନ ପୂର୍ବରୁ କିଏ କଂଗ୍ରେସର ମଙ୍ଗୁଆଳ ସାଜିବ ଏହା ଉପରେ ଏବେ ରହିଛି ସମସ୍ତଙ୍କ ନଜର ।
Leave a Reply