
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଭୁବନେଶ୍ୱର ଏମ୍ସ ମେଡିକାଲ ପରିସରରେ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପୂର୍ଣ୍ଣାଙ୍ଗ ମୂର୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ କରକମଳରେ ଲୋକାର୍ପଣ ଏବଂ ମେଡିକାଲରେ ବିଭିନ୍ନ ରୋଗୀ ସୁବିଧାର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି ଯେ ଓଡିଶା ପାଇଁ ଭୁବନେଶ୍ୱର ଏମ୍ସ ଅଟଳ ବିହାରୀ ବାଜପେୟୀଙ୍କ ଏକ ବିରାଟ ଅବଦାନ ଥିଲା । ଏମ୍ସରେ ବାଜପେୟୀଙ୍କ ପୂର୍ଣ୍ଣାଙ୍ଗ ମୂର୍ତି ସ୍ଥାପିତ କରିଥିବାରୁ ଏମ୍ସ ଭୁବନେଶ୍ୱର ଓ ମହାନଦୀ କୋଇଲା କମ୍ପାନୀକୁ କୃତଜ୍ଞତା ଜଣାଇଛନ୍ତି ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଗତ ୨ ବର୍ଷ ତଳେ ତତ୍କାଳୀନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଏଥିପାଇଁ ପ୍ରତିଶ୍ରୁତି ଦେଇଥିଲେ ବୋଲି ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏମ୍ସରେ ୪୦ଟି ବିଭାଗ ଖୋଲାଯାଇଛି ଯାହାକି ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ଯୋଗାଇଦେବ । ଓଡିଶାକୁ ଉତମ ସ୍ୱାସ୍ଥ୍ୟ ସେବା ଦେବା ପାଇଁ ଭାରତ ସରକାର ପ୍ରତିବଦ୍ଧ । ଆଗାମୀ ଦିନରେ ଏମ୍ସ ରାଜ୍ୟ ଓଡିଶା ଏବଂ ପଡୋଶୀ ରାଜ୍ୟର ସ୍ୱାସ୍ଥ୍ୟ ଆବଶ୍ୟକତାକୁ ପୂରଣ କରିବ ବୋଲି ସେ କହିଛନ୍ତି ।
ସାମ୍ବାଦିକଙ୍କ ପୃଥକ ପ୍ରଶ୍ନରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାରେ ଏପର୍ଯ୍ୟନ୍ତ ଭାରତ ଆୟୁଷ୍ମାନ ଯୋଜନା ଲାଗୁ ହେଲାନାହିଁ । ଗରିବ ଲୋକଙ୍କ ବଡ ବଡ ରୋଗ ଯଥା ହୃଦ ରୋଗ, ଟ୍ୟୁମର, କ୍ୟାନସର ପାଇଁ ଖର୍ଚ୍ଚର ଆବଶ୍ୟକତାର ଅଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ଆୟଷ୍ମାନ ଯୋଜନା ଲାଗୁ କରିବା ପାଇଁ ଓଡିଶା ସରକାରଙ୍କୁ ଅନୁରୋଧ କରି ଆସୁଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ମଧ୍ୟ ପୁଣି ଥରେ ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରିବା ପାଇଁ ସାର୍ବଜନୀନ ଭାବେ ସରକାରଙ୍କୁ ଅନୁରୋଧ କରିଛନ୍ତି । ସମସ୍ତେ ଏକାଠୀ ହୋଇ ଓଡିଶାର ଗରିବ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଦେବାର ଆବଶ୍ୟକତା ରହଛି । ଭାରତ ସରକାରଙ୍କ ଆୟୁଷ୍ମାନ ଯୋଜନାରେ ଓଡିଶା ସାମିଲ ହେବ, ଏହା ଆମର ଅପେକ୍ଷା ବୋଲି ସେ କହିଛନ୍ତି ।
ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଉପସ୍ଥିତିରେ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଦ୍ୱାରା ଏମ୍ସ ମେଡିକାଲର ମୋଡୁଲାର ଅପରେସନ ଥିଏଟର, ଆଇସିୟୁ କମ୍ପେକ୍ସର ଶିଳାନ୍ୟାସ ଓ କାଥ୍ ଲ୍ୟାବ,ଡିଏଫଆରର ଉଦଘାଟିତ ହୋଇଥିଲା ।
Leave a Reply